ନିମାପଡା:(ଜେଏମଜେ ନ୍ୟୁଜ /ସନ୍ତୋଷ ଦାଶ) ପୁଣ୍ୟତୋୟା ପ୍ରାଚୀ ନଦୀ ଉପତ୍ୟକା ରେ ରହିଛି ଶତାଧିକ ପୁରାତନ କାରୁ କାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଓ କୀର୍ତ୍ତିରାଜି। ତା ମଧ୍ୟରୁ ନିଆଳି ବ୍ଲକ ଅନ୍ତର୍ଗତ ନୂଆସାତଙ୍କ ଗ୍ରାମରେ ଅବସ୍ଥିତ ପଶ୍ଚିମାଭିମୁଖୀ ଦୂର୍ଗା ମନ୍ଦିର ଅନ୍ୟତମ। ଗବେଷକ ମାନଙ୍କ ମତରେ ଆଉ କୌଣସି ସ୍ଥାନ ରେ ପଶ୍ଚିମାଭିମୁଖୀ ଦୂର୍ଗା ମନ୍ଦିର ନାହିଁ। ସେ ଦୃଷ୍ଟିରୁ ଏହି ମନ୍ଦିର ଟି ବିରଳ ଓ ଅନନ୍ୟ ଅଟେ। ମନ୍ଦିର ଟି ସୁଉଚ୍ଚ ଓ ଇଟା ରେ ତିଆରି ହୋଇଥିବା ବେଳେ ମନ୍ଦିର ମୁଳୁଦୁଆ ଟି ପଥର ରେ ନିର୍ମାଣ ହୋଇଛି। ପୂଜିତ ହେଉଥିବା ମା ଦୂର୍ଗା ଅଷ୍ଟଭୁଜା ହୋଇଥିବା ବେଳେ ଉପର ଦୁଇ ହାତରେ ଶଙ୍ଖ ଓ ଚକ୍ର ରହିଛି। ତଳ ଦୁଇ ହାତରେ ଏକ ତ୍ରିଶୂଳ ଧରିଛନ୍ତି ଯାହା ମହିଷାସୁର ର ଛାତି ଭେଦ କରିଛି । କଳା ମୁଗୁନି ପଥରରେ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି। ମା ଙ୍କ ଦୁଇପାଶ୍ଵ ରେ ଦୁଇଟି ନାରୀମୂର୍ତ୍ତି ଅଛି ଯାହାଙ୍କୁ ଗଙ୍ଗା, ଯମୁନା କୁହାଯାଉଛି। ମା ଙ୍କ ମୁଣ୍ଡ ରେ ଚନ୍ଦ୍ର ଓ ତୃତୀୟ ନୟନ ରହିଥିବା ଦେଖିବାକୁ ମିଳେ। ମନ୍ଦିର ଭିତରେ ମା ଙ୍କ ବାମ ପାର୍ଶ୍ୱରେ ସୂର୍ଯ୍ୟ ଦେବତା ଓ ଆଉ ଏକ ଅଷ୍ଟ ଭୁଜା ମହିଷା ମର୍ଦ୍ଧିନୀ ଦୂର୍ଗା ମୂର୍ତ୍ତି ପୂଜା ପାଉଛନ୍ତି । ମାଧବ ଗ୍ରାମ ରୁ ପୁଷ୍ପାଳକ ସେବକ ମାନେ ଏଠାକୁ ଆସି ମାଙ୍କୁ ସବୁଦିନ ପୂଜା କରିଥାନ୍ତି। ଶାରଦୀୟ ପାର୍ବଣପୂଜା ମା ଙ୍କ ମନ୍ଦିର ରେ ଧୁମ୍ ଧାମ୍ ରେ ଗ୍ରାମବାସୀ ପାଳନ କରିଥିଲେ । ଶାରଦୀୟ ପାର୍ବଣ
ପୂଜା ମୂଳାଷ୍ଟମୀ ତିଥିରୁ ପାରମ୍ପରିକ
ରୀତି ନୀତି ଅନୁସାରେ ପାଳନ ହୋଇ ଥିଲା । ଗ୍ରାମବାସୀ ମାନେ ପାଳି କରି
ପ୍ରତିଦିନ ଆମିଷ ଭୋଗ ମା ଙ୍କୁ ଲାଗି
କରିଥିଲେ । ମହାଷ୍ଟମୀ ତିଥିରେ ଦିନବେଳା ମା ଙ୍କର ଚନ୍ଦନ ବେଶ ଓ ରାତିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ କାଲି ସେଠାରେ ପହଞ୍ଚି ମାଙ୍କ ସୁନାବେଶ ଦର୍ଶନ କରିଥିଲେ । ଗ୍ରାମବାସୀ ମାନେ ମନ୍ତ୍ରୀ ଙ୍କୁ ସ୍ବାଗତ ଜଣାଇ ମନ୍ଦିର ନିକଟକୁ ପାଛୋଟି ନେଇ ଥିଲେ । ନିକଟସ୍ଥ କୃଷ୍ଣପ୍ରସାଦ ଗଡର ଗଡୁଆ / ଖଣ୍ଡାୟତ ମାନେ ଏକ ଶୋଭାଯାତ୍ରା ରେ ଆସି ମା ଙ୍କୁ ପୂଜାକରି ଆଜ୍ଞାମାଳ ନେଇନିଜଗାଆଁ କୁ ଫେରିଥିଲେ। ରାତି ରେ ସମୂହ ଗ୍ରାମବାସୀ ଙ୍କ ପକ୍ଷରୁ ମା ଙ୍କ ନିକଟରେ ଜନ୍ତାଳଭୋଜି ଅନୁଷ୍ଠିତ ହୋଇଥିଲା । ଉକ୍ତ ମନ୍ଦିର ଟି ସୋମବଂଶୀ ଶାସକ ଙ୍କ କୀର୍ତ୍ତି ବୋଲି ଐତିହାସିକ ସ୍ବର୍ଗତ ଶ୍ୟାମସୁନ୍ଦର ତ୍ରିପାଠୀ ତାଙ୍କ ପୁସ୍ତକ ରେ ପ୍ରକାଶ କରିଥିବା ବେଳେ ପୂଜା ପାଉଥିବା ଅଷ୍ଟଭୁଜା ମୂର୍ତ୍ତି କୁ ନାରାୟଣୀ ଦୂର୍ଗା ବୋଲି ମତ ପ୍ରକାଶକରି ଏହା ଏକ ବିରଳ ଓ ଅନନ୍ୟ ଐତିହ୍ୟ ବୋଲି ସୂଚନା ଦେଇଛନ୍ତି। ଏହି ପୁରାତନ ମନ୍ଦିର ଓ ପୂଜା ପାଉଥିବା ମୂର୍ତ୍ତି ଗୁଡ଼ିକୁ ସୁରକ୍ଷା କରିବାକୁ ଗ୍ରାମବାସୀ ମାନେ ମନ୍ତ୍ରୀ ଙ୍କ ନିକଟରେ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *