ପାରଳାଖେମୁଣ୍ଡି, ( ଜେଏମଜେ ନ୍ୟୁଜ /ମନୋଜ ପାଢୀ)-: – ଗଜପତି ଜିଲ୍ଲାର ରାୟଗଡ, କାଶୀନଗର, ଗୋଷାଣୀ, ଆର୍‌.ଉଦୟଗରି, ରାମଗିରି ଆଦି ଅଞ୍ଚଳର ଚାଷୀଙ୍କ ଦ୍ୱାରା ଉତ୍ପାଦିତ ହେଉଥିବା ପନିପରିବା ବିକ୍ରୟ ହେଉଥିଲା । ତାହାବି ଜୈବିକ ତଥା ଦେଶୀ ପଦ୍ଧତିରେ ଚାଷ ହୋଇଥିବା ସଜ ପନିପରିବା । ତେବେ ଗତ ଦୁଇ ଦଶନ୍ଧିହେଲା ଏ ସବୁର ଆଉ ଦେଖା ମିଳୁନି । ହୁଏତ ପନିପରିବା ଉତ୍ପାଦନ କରୁଥିବା ଚାଷୀଙ୍କ ଏହି ପରିବା ଚାଷ ପ୍ରତି ମନବଳ ଭାଙ୍ଗିଯାଇଥିବା ନଚେତ କଷ୍ଟ ତଥା ପରିଶ୍ରମର ସଠିକ ମୂଲ୍ୟ ନ ପାଇବା ଆଦି କାରଣ ରହିଛି । ଏହା ସହ ପାରଳାଖେମୁଣ୍ଡି ସହରରେ ପନିପରିବା ଚାଷୀଙ୍କ ଠାରୁ କିଣୁଥିବା ଦଲାଲମାନେ ମଧ୍ୟ ଏହାର ମୁଖ୍ୟ କାରଣ । ପରିବା ବଜାରରେ ଦଲାଲ ଏତେ ସକ୍ରିୟ ଅଛନ୍ତି ଯେ, ସେମାନେ ଯେଉଁ ଠାରୁ ପନିପରିବା କ୍ରୟ କରି ବା କେଉଁଠାରୁ ଆସିବ ସେ ସବୁ ନିଷ୍ପତ୍ତି ମଧ୍ୟ ନେଇଥାନ୍ତି ବୋଲି ଜଣାପଡିଛି । ଏମାନଙ୍କ କବଳରେ ରହିଛି ପରିବା ବଜାର । ପ୍ରତ୍ୟେହ ସକାଳୁ ସକାଳୁ ଶ୍ରୀକାକୁଲମରୁ ୪ରୁ୫ଗୋଟି ଟ୍ରକ, ମ୍ୟାକ୍ସପିକଅପ ଆଦିରେ ଆସୁଛି ପରିବା । ଆଉ ଏସବୁର ଦର ନିର୍ଣ୍ଣୟ ହୋଇ ଆସିଥାଏ । କେଉଁ ପରିବା କେତେ ଟଙ୍କାରେ ବିକ୍ରିହେବ ଧାର୍ଯ୍ୟ କରିଦେଇଥାନ୍ତି । ବଜାରକୁ ଏହି ପରିବା ଓହ୍ଲାଇବା ମାତ୍ରେ ଦଲାଲଙ୍କ ନିଷ୍ପତ୍ତି ଅନୁସାରେ ପରିବା ବିକ୍ରୟ ହୋଇଥାଏ । ତେଣୁ ଦିନକୁ ଦିନ ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି । ପ୍ରାୟତଃ କାର୍ତ୍ତୀକ ମାସରେ ପରିବା ଦର ବୃଦ୍ଧି ହୁଏ । କିନ୍ତୁ ଚଳିତ ବର୍ଷ କାର୍ତ୍ତୀକ ମାସ ପୂର୍ବରୁ ପ୍ରାୟତଃ ପରିବା ସେଞ୍ଚୁରି ପାଖାପାଖି ଥିବା ବେଳେ କେତେକ ପରିବା ସେଞ୍ଚୁରି ପାର ହୋଇଯାଇଛି । କିଲୋ ପ୍ରତି ଟମାଟ ୮୦, ଦେଶୀ ପୋଟଳ ୮୦, ଜହ୍ନି ୬୦, ବାଇଗଣ ୫୦, ଫୁଲକୋବି ୬୦ରୁ୮୦, କାଙ୍କଡ ୮୦ରୁ୧୦୦, ବିନ୍ ୮୦ରୁ୧୦୦, କୁନ୍ଦୁରି ୬୦, ଅଲଡି ୫୦ରୁ୬୦, ଛୁଇଁ ୧୦୦ରୁ୧୨୦ ଏଭଳି ଦର ଆଜି ରହିଛି । ସେହିଭଳି ଆଳୁ କିଲୋ ପ୍ରତି ୨୦ଟଙ୍କା ରହିଥିବା ବେଳେ ଛୋଟ ପିଆଜ ୩୦ ଏବଂ ବଡ ପିଆଜ ୬୦ଟଙ୍କା ପାର କରିସାରିଛି । ଅନ୍ୟପକ୍ଷରେ କହିବାକୁ ଗଲେ ପେଟ୍ରୋଲ ଡିଜେଲ ଦରବୃଦ୍ଧିର କାରଣ ରହିଛି । ହେଲେ ପ୍ରକୃତପକ୍ଷେ ଜିଲ୍ଲାରେ ଉତ୍ପାଦନ କରୁଥିବା ଚାଷୀମାନଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଦେଇଥାନ୍ତା ତେବେ ଏପରି ସମସ୍ୟା ଉପୁଜିନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଅସାଧୁ ବ୍ୟବସାୟୀ ଓ ଦଲାଲମାନଙ୍କୁ ଚିହ୍ନଟ କରି ବିଦା କଲେ ବାହାର ରାଜ୍ୟର ହାଇବ୍ରିଡ ପରିବା ବିକ୍ରୟ ହୋଇନଥାନ୍ତା ବୋଲି ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉତ୍ପାଦନ କରୁଥିବା ପରିବା ଚାଷୀମାନେ ଜିଲ୍ଲାବାହାରକୁ ନିଜ ନିଜ ପରିବା ବିକ୍ରୟ କରି ଦେଉଥିବାର ଜଣାପଡିଛି । ତେଣୁ ଏହି ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଲଗାମ ଲଗାଇ ପାରିଲେ ଜିଲ୍ଲାର ଗରିବ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ସମେତ ପରିବା ଉତ୍ପାଦିତ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ମଧ୍ୟ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *